Sunday, 2 April 2023

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ ଲୋକକଳା ପ୍ରତି ଆସକ୍ତି ରହିଲେ ଆମର ସମୃଦ୍ଧ ଲୋକକଳା ଓ ଲୋକ ସଂଗୀତ ଉଜ୍ଜୀବିତ ରହିବ । ଭୁବନେଶ୍ୱର 02.4.2023 ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ୩ ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ,ଆମ ରାଜ୍ୟର କଳା, ସଂସ୍କୃତି ଓ ସ୍ଥାପତ୍ୟ ବିଶ୍ୱ ବିଦିତ । ପ୍ରାଚୀନ ନୌବାଣିଜ୍ୟ ସମୃଦ୍ଧ ପରଂପରାର ସ୍ମୃତିଚାରଣ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ, ସାହସୀ ସାଧବ ପୁଅମାନଙ୍କର ଦେଶ ବିଦେଶକୁ ଯାତ୍ରା ଆମ ରାଜ୍ୟର କଳା,ସ୍ଥାପତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହୋଇଥିଲା । ଦେଶର ସ୍ୱାଧୀନତା ସଂଗ୍ରାମର ଲୋକନାୟକ ତଥା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବରପୁତ୍ରମାନଙ୍କର ଭୂମିକା ଭଳି ଆମ ରାଜ୍ୟକୁ ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚିତି ଦେବା ପାଇଁ ଲୋକ କଳାକାରମାନଙ୍କର ଗୁରୁତ୍ୱ ଅବଦାନ ରହିଛି । ଓଡିଶାର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରେ ଥିବା ଲୁପ୍ତପ୍ରାୟ ଲୋକନୃତ୍ୟ ଓ ଲୋକସଙ୍ଗୀତର , ବିକାଶ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କ ଉନ୍ନତି କଳ୍ପେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୧ ମସିହାରେ ପ୍ରୟାସ ଆରମ୍ଭ କରିଥିଲେ । ରାଜ୍ୟରେ ଲୋକ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ରାଜ୍ୟ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଲୋକକଳା ପ୍ରତି ଆଗାମୀ ପିଢି ମଧ୍ୟରେ ଆସକ୍ତି ରହିଲେ ଆମର ସମୃଦ୍ଧ ଲୋକ କଳା ଓ ଲୋକ ସଂଗୀତ ଉଜ୍ଜୀବିତ ରହିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ମହୋତ୍ସବକୁ ଉଦଘାଟନ କରି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ, ଉତ୍କୃଷ୍ଟ କଳା ପାଇଁ ଓଡିଶାର ନାମ ଥିଲା ଉତ୍କଳ । ଓଡିଶାର ଲୋକ କଳା, ଲୋକ ସଂଗୀତ ର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ପ୍ରୟାସ ଜାରି ରଖିଛି । ଲୋକ କଳା, ଲୋକ ସଂଗୀତ ମାଧ୍ୟମରେ ସମଗ୍ର ଓଡିଆ ଜାତିକୁ ଏକତ୍ରିତ କରିବା, ଆମର ମନ୍ଦିରମାଳିନୀ ଭୁବନେଶ୍ୱର ସହ ରାଜ୍ୟର ସମସ୍ତ କୀର୍ତ୍ତୀରାଜିର ସୁରକ୍ଷା ଓ ସମୃଦ୍ଧଶାଳୀ କରିବା ସମସ୍ତଙ୍କର ପ୍ରୟାସ ହେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଓଡିଶା ମାଟି କଳାର ମାଟି । ଆମେ ସମସ୍ତେ କଳାକୁ ଭଲ ପାଉ । ସମସ୍ତଙ୍କ ମଧ୍ୟରେ କଳାକୁ ଭଲ ପାଇବା ରହିଛି । ଓଡିଶାର ଚାରୁ କଳା ,କାରୁକଳା, ବାଲୁକା ଶିଳ୍ପ, ନୃତ୍ୟ , ସଂଗୀତ ଏବଂ ଓଡିଆ ଜାତିର ଅସ୍ମିତାକୁ ଦେଶ ବିଦେଶରେ ପରିଚିତ କରାଇବା ସମସ୍ତଙ୍କର ଦାୟିତ୍ୱ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଶିକ୍ଷଣୀୟ, ସ୍ୱାସ୍ଥ୍ୟ ସଚେତନତା ଓ ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ଲୋକନୃତ୍ୟ ଓ ଲୋକ ସଂଗୀତ ମାଧ୍ୟମରେ ଘରେ ଘରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ ହଜାର ମଧ୍ୟରୁ ଅଦ୍ୟାବଧି ୪୩ ହଜାର କଳାକାର ସହାୟତା ପାଉଥିବା ଶ୍ରୀ ସାହୁ କହିଥିଲେ । ଜନସାଧାରଣଙ୍କ ସହଯୋଗ ରହିଲେ ଲୋକକଳା ବଂଚିରହିବା ସହିତ ଲୋକ କଳାକାରମାନେ ଉପକୃତ ହେବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ଲୋକ କଳାର ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ରାଜ୍ୟରେ ପ୍ରାୟ ୪୬୧ ପ୍ରକାର ଲୋକକଳା ଚିହ୍ନଟ ହୋଇଛି । ରାଜ୍ୟସ୍ତରରେ ଅନୁମୋଦିତ ଓ ଜନସାଧାରଣଙ୍କ ଦ୍ୱାରା ଏହା ଗ୍ରହଣୀୟ ହେବାର ଆବଶ୍ୟକତା ରହିଛି । ଏ ଦିଗରେ ବିଭାଗ ତରଫରୁ ତଥ୍ୟ ସଂଗ୍ରହ ଓ ଗବେଷଣା ଜାରି ରହିଥିବା ଶ୍ରୀ ଦାସ ପ୍ରକାଶ କରିଥିଲେ ଏବଂ ଆୟୋଜିତ ଏହି ମହାର୍ଘ ଲୋକ ମହୋତ୍ସବରେ ବହୁ ସଂଖ୍ୟାରେ ସବୁଦିନ ଜନସାଧାରଣ ଉପସ୍ଥିତ ରହିବାକୁ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ଆଦିବାସୀ ଓ ଲୋକ ସଂଗୀତ ଗବେଷକ ତଥା ବିଭିନ୍ନ ପୁରସ୍କାରରେ ସମ୍ମାନିତ ଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଯୋଗଦେଇ କରୋନା ସଂକ୍ରମଣ କଟକଣା ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଆୟୋଜିତ ହୋଇପାରିନଥିବା ଏହି ଲୋକ ମହୋତ୍ସବ ଆରମ୍ଭ ହୋଇଥିବା ଓ ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବରେ ୩୦ ଜିଲ୍ଲାରୁ ୩୦୦ କଳାକାର ଯୋଗଦେଉଥିବା ସୂଚନା ଦେଇଥିଲେ । ଉଦଘାଟନୀ ସଂଧ୍ୟାକୁ ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ । ଆଜିର ପ୍ରଥମ ଦିବସ ଲୋକ ଉତ୍ସବ କାର୍ଯ୍ୟକ୍ରମରେ ବଲାଙ୍ଗୀରର ଘୁଙ୍ଗୁର କଳା ନିକେତନ ତରଫରୁ କୁଠି ଡାଲଖାଇ, ଢେଙ୍କାନାଳର ଅଷ୍ଟଶମ୍ଭୁ ଘଣ୍ଟବାଦ୍ୟ ,କୁଆଲ ଅନୁଷ୍ଠାନ ତରଫରୁ ଘଣ୍ଟବାଦ୍ୟ, ଝାରସୁଗୁଡା ରାଇଁଝାଇ ଲୋକନାଚ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ(ମାଏଲାଜଡ), କେନ୍ଦୁଝର ବୀଣାପାଣି କଳା ନିକେତନ ତରଫରୁ ପଲ୍ଲୀନୃତ୍ୟ, ଭଦ୍ରକ ମଦନମୋହନ ଜୀଉ ତରଫରୁ ଢୋଲକ ବାଦ୍ୟ, କଟକ ପଟୁଆର ସଂକୀର୍ତ୍ତନ , ଜଗତସିଂହପୁର ମା ବାସେଳୀ ଘୋଡାନାଚ, ଗଞ୍ଜାମ ବିଶ୍ୱ ଜନନୀ କଳା ପରିଷଦ ତରଫରୁ ପଶୁନୃତ୍ୟ , କନ୍ଧମାଳ ଢାକୁଳଜୁଇ ନୃତ୍ୟ ଅନୁଷ୍ଠାନ ତରଫରୁ ଆଦିବାସୀ ନୃତ୍ୟ, ନୂଆପଡା ମା ଦୁଆରସାନୀ ବଜାସାଲ ଅନୁଷ୍ଠାନ ତରଫରୁ ବଜାସାଲ ଭଳି ବିଭିନ୍ନ ଅନୁଷ୍ଠାନ ତରଫରୁ ଚିତ୍ତାକର୍ଷକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ସୂଚନା ଯୋଗ୍ୟଯେ, ଅପରାହ୍ଣରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ସଂକୀର୍ତ୍ତନ, ଘୋଡାନାଚ, ସମ୍ବଲପୁରୀ, ଲଉଡିଖେଳ, କଣ୍ଢେଇ ନୃତ୍ୟ(ରାଜା ରାଣୀ), ରାମ ସୀତା ଆଦି ପାରମ୍ପରିକ ନୃତ୍ୟର ତାଳେ ତାଳେ ରାମ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଉତ୍କଳ ମଣ୍ଡପ ନିକଟକୁ ଆସିଥିଲେ । ଏହି ଶୋଭାଯାତ୍ରାକୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଶୋଭାଯାତ୍ରା ସଫଳ କରିବା ସହିତ ଉତ୍ସବକୁ ସଫଳ କରିବାରେ ସହାୟତା ପ୍ରଦାନ କରିଥିଲେ । ନିମାଇଁ ବେହେରା ଙ୍କ ରିପୋର୍ଟ

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...